
Trust & Safety
ବଢ଼ିଚାଲିଥିବା ଚାକିରି ଠକେଇ: ଠକମାନେ ଚାକିରି ଆଶାୟୀମାନଙ୍କୁ କିପରି ଠକନ୍ତି
PhonePe Regional|5 min read|27 January, 2025
ଆଜିର ଦୁନିଆରେ, ଯେତେବେଳେ ଚାକିରିର ଚାହିଦା ଅଧିକ ଏବଂ ଚାକିରି ଆଶାୟୀମାନେ ଏକ ଚାକିରି ପାଇବା ବ୍ୟଗ୍ର, ସେତେବେଳେ ଏହି ଦୁର୍ବଳ ମୁହୂର୍ତ୍ତର ସୁଯୋଗ ନେଇ ସ୍କାମ ଏବଂ ଠକେଇ କରାହେଉଛି। ଆଜି ଚାକିରି ଠକେଇର ସବୁଠାରୁ ଉଦବେଗଜନକ ଦିଗ ହେଉଛି ଅଫିସିଆଲ ଦେଖାଯାଉଥିବା ନକଲି ଇମେଲ ହ୍ୟାଣ୍ଡଲରଗୁଡ଼ିକ ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମର ବ୍ୟବହାର, ଯାହାକୁ ଠକମାନେ ପୀଡ଼ିତମାନଙ୍କଠାରୁ ସେମାନଙ୍କ ଟଙ୍କା ହାତେଇବା ପାଇଁ ବ୍ୟାପକ ଭାବରେ ବ୍ୟବହାର କରୁଛନ୍ତି।
ବର୍ଦ୍ଧିତ ବେକାରୀ ହାର ସହିତ ପାରମ୍ପରିକ ଅଫିସ ପରିବେଶ ବାହାରେ କାମ କରିବାର ଚାକିରିର ବୃଦ୍ଧି ଯୋଗୁଁ ଚାକିରି ଠକାମିର ସଂଖ୍ୟାରେ ବୃଦ୍ଧି ଘଟୁଛି। ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମି (CMIE)ର ସର୍ବଶେଷ ତଥ୍ୟ ଅନୁଯାୟୀ 2024 ମସିହା ସେପ୍ଟେମ୍ବର ମାସ ସୁଦ୍ଧା ଦେଶରେ ହାରାହାରି ବେକାରୀ ହାର 7.85% ଅଟେ। ଯାହା ଫଳରେ ଚାକିରି ଆଶାୟୀ ନିରୀହ ଲୋକଙ୍କୁ ଜାଲରେ ଫସାଇ ସେମାନଙ୍କୁ ଶୋଷଣ କରିବା ପାଇଁ ଠକମାନେ ସୁଯୋଗ ପାଇଥାନ୍ତି।
ନକଲି ଇମେଲ ହ୍ୟାଣ୍ଡଲରଗୁଡ଼ିକର ବୃଦ୍ଧି
ଠକମାନଙ୍କ ଦ୍ୱାରା ବ୍ୟବହୃତ ସବୁଠାରୁ ବିଭ୍ରାନ୍ତକାରୀ ପଦ୍ଧତିଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ଏପରି ଇମେଲ ଠିକଣା ସୃଷ୍ଟି କରିବା ଯାହା ଆଶ୍ଚର୍ଯ୍ୟଜନକ ଭାବରେ ଏକ ବୈଧ କର୍ପୋରେଟ ଠିକଣା ପରି ଦେଖାଯାଏ। ଏହି ଇମେଲ ହ୍ୟାଣ୍ଡଲରଗୁଡ଼ିକ ପ୍ରାୟତଃ ଏକ ଜଣାଶୁଣା କମ୍ପାନୀର ନାମକୁ ନକଲ କରନ୍ତି ଯାହା ସରଳ ଚାକିରି ଆଶାୟୀମାନଙ୍କୁ ବିଶ୍ୱାସ କରିବାକୁ ବାଧ୍ୟ କରେ ଯେ ସେମାନେ ଏକ ପ୍ରତିଷ୍ଠିତ ସଂଗଠନର ନିଯୁକ୍ତିଦାତାଙ୍କ ସହିତ ଯୋଗାଯୋଗ କରୁଛନ୍ତି।
ଉଦାହରଣ ସ୍ୱରୂପ, ଜଣେ ଠକ [email protected] କିମ୍ବା [email protected] ପରି ଏକ ଇମେଲ ଠିକଣା ବ୍ୟବହାର କରିପାରନ୍ତି ଯାହା ଏକ ପ୍ରକୃତ କର୍ପୋରେଟ ଇମେଲ ଠିକଣା ଭଳି ଦେଖାଯାଏ। ସାଧାରଣତଃ ଏହି ଇମେଲଗୁଡ଼ିକୁ ଅସଲି ପରି ଦେଖାଯିବା ପାଇଁ ପ୍ରସ୍ତୁତ କରାଯାଇଥାଏ ଯେଉଁଥିରେ ଅଫିସିଆଲ କମ୍ପାନୀ ଲୋଗୋ, ଠିକଣା ଏବଂ ଆନୁଷ୍ଠାନିକ ଯୋଗାଯୋଗର ସ୍ୱର ସହିତ ମେଳ ଖାଉଥିବା ବୃତ୍ତିଗତ ଭାଷା ଆଦି ଅନ୍ତର୍ଭୁକ୍ତ କରାହୋଇଥାଏ।
ଠକିବାକୁ ଚେଷ୍ଟା କରୁଥିବା ଚାକିରି ଆବେଦନଗୁଡ଼ିକର ଡୋମେନ ଅନୁସାରେ ଠକମାନେ ଅନଲାଇନ ସାକ୍ଷାତକାର ପରୀକ୍ଷା ସୃଷ୍ଟି କରିବାକୁ ମଧ୍ୟ ଚେଷ୍ଟା କରିଥାନ୍ତି। ସେମାନେ ଟଙ୍କା ମାଗିବା ପୂର୍ବରୁ ଏହି ପ୍ରଚେଷ୍ଟା ପ୍ରକ୍ରିୟାକୁ ଆହୁରି ପ୍ରାମାଣିକ କରିଥାଏ।
ଚାକିରି ଆଶାୟୀ ବ୍ୟକ୍ତି ଇମେଲର ଉତ୍ତର ଦେବା ପରେ ସେମାନଙ୍କୁ ଏକ ଆକର୍ଷଣୀୟ ଚାକିରିର ସୁଯୋଗ ପ୍ରଦାନ କରାଯାଏ ଏବଂ ସେମାନେ କାମରେ ଯୋଗଦେବା ପୂର୍ବରୁ ସେମାନଙ୍କୁ “ପ୍ରୋସେସିଂ ଫି” କିମ୍ବା “ଟ୍ରେନିଂ ଫି” ଦେବାକୁ କୁହାଯାଏ। ଠକମାନେ ଦାବି କରନ୍ତି ଯେ ବ୍ଯାକଗ୍ରାଉଣ୍ଡ ଚେକ, ତାଲିମ କିମ୍ବା ଉପକରଣର ଖର୍ଚ୍ଚ ବାବଦରେ ଏହି ଫିସ ଆବଶ୍ୟକ ହୋଇଥାଏ। ତେବେ, ପେମେଣ୍ଟ କରାଯିବା ପରେ ଚାକିରିର ଅଫର ଅଦୃଶ୍ୟ ହୋଇଯାଏ ଏବଂ ଠକମାନେ ପୀଡ଼ିତଙ୍କ ଟଙ୍କା ନେଇ ନିଖୋଜ ହୋଇଯାଆନ୍ତି।
ଏହି ପଦ୍ଧତି ବିଶେଷ ଭାବରେ ବିପଦପୂର୍ଣ୍ଣ କାରଣ ନକଲି ଇମେଲ ଠିକଣାଗୁଡ଼ିକ ଏତେ ବିଶ୍ୱାସଯୋଗ୍ୟ ହୋଇପାରେ ଯେ ସବୁଠାରୁ ସତର୍କ ବ୍ୟକ୍ତି ମଧ୍ୟ ଠକେଇର ଶିକାର ହୋଇପାରନ୍ତି। ଏପରିକି ଏହା ଚାକିରି ଅଫରଗୁଡ଼ିକର ବୈଧତା ଯାଞ୍ଚ କରିବା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥାଏ, ବିଶେଷକରି ଯେଉଁଗୁଡିକ ଆଗୁଆ ଟଙ୍କା ଦେବା ପାଇଁ ଅନୁରୋଧ କରନ୍ତି।
ସୋସିଆଲ ମିଡିଆ ଏବଂ ଚାକିରି ପ୍ଲାଟଫର୍ମ ମାଧ୍ୟମରେ ଠକେଇ
ଗତ କିଛି ବର୍ଷ ମଧ୍ୟରେ ଠକମାନେ ସେମାନଙ୍କର ପରବର୍ତ୍ତୀ ଶିକାର ଖୋଜିବା ପାଇଁ ସୋସିଆଲ ମିଡିଆ ଏବଂ ଚାକିରି ପ୍ଲାଟଫର୍ମ ଆଡକୁ ଅଧିକରୁ ଅଧିକ ମୁହାଁଇଛନ୍ତି।
ଠକମାନେ ସାଧାରଣତଃ ନିଜକୁ ଏକ ପ୍ରତିଷ୍ଠିତ କମ୍ପାନୀର ପ୍ରତିନିଧି ବୋଲି ଦାବି କରି ଚାକିରି ଆଶାୟୀମାନଙ୍କୁ ଏକ ଆକର୍ଷଣୀୟ ଅଫର ସହିତ ଯୋଗାଯୋଗ କରନ୍ତି। ସେମାନେ ମେସେଜ ମାଧ୍ୟମରେ ବ୍ୟକ୍ତିବିଶେଷଙ୍କ ସହିତ ଯୋଗାଯୋଗ କରିପାରନ୍ତି କିମ୍ବା ବିଭିନ୍ନ ଗ୍ରୁପ କିମ୍ବା ପ୍ଲାଟଫର୍ମରେ ନକଲି ଚାକିରିର ବିଜ୍ଞାପନ ପୋଷ୍ଟ କରିପାରନ୍ତି ଯେଉଁଠାରେ ଲୋକମାନେ ସକ୍ରିୟ ଭାବରେ ଚାକିରିର ସୁଯୋଗ ଖୋଜିଥାନ୍ତି। ଏହି ଲିଷ୍ଟିଂଗୁଡ଼ିକ ପ୍ରାୟତଃ ଉଚ୍ଚ ବେତନଯୁକ୍ତ ପଦବୀ ଏବଂ ଘରୁ କାମ କରିବାର ସୁବିଧା ପାଇଁ ପ୍ରତିଶ୍ରୁତି ଦିଅନ୍ତି ଯେଉଁଥିପାଇଁ କମ ଅଭିଜ୍ଞତା କିମ୍ବା ଦକ୍ଷତା ଆବଶ୍ୟକ ହୁଏ ଯାହା ତୁରନ୍ତ ଶୀଘ୍ର ନିଯୁକ୍ତି ଖୋଜୁଥିବା ଚାକିରି ଖୋଜୁଥିବା ଲୋକଙ୍କୁ ଆକର୍ଷିତ କରେ।
ପୀଡ଼ିତ ବ୍ୟକ୍ତି ଆଗ୍ରହ ପ୍ରକାଶ କରିବା ପରେ ଠକ ଏକ ନକଲି KYC ପ୍ରକ୍ରିୟା ପରିଚାଳନା କରିବାକୁ ଆଗକୁ ବଢ଼ିଥାନ୍ତି। ଏହି ପ୍ରକ୍ରିୟାଗୁଡ଼ିକ ସମ୍ପୂର୍ଣ୍ଣ ବୈଧ ମନେହୋଇପାରେ ଯାହା ଆହୁରି ବିଶ୍ୱାସ ଜନ୍ମାଇଥାଏ। ତଥାକଥିତ ଯାଞ୍ଚ ପରେ ଚାକିରି ଆଶାୟୀ ବ୍ୟକ୍ତିଙ୍କୁ କୁହାଯାଏ ଯେ ତାଙ୍କୁ କାମ ପାଇଁ ଚୟନ କରାଯାଇଛି ଏବଂ କିଛି କାର୍ଯ୍ୟ କରିବା ପରେ କିମ୍ବା କାର୍ଯ୍ୟ ସମାପ୍ତ କରିବା ପରେ ଦରମା ପାଇବା ପାଇଁ ତାଙ୍କୁ ଏକ ଅନୁମାନିତ ଆଡଭାନ୍ସ ଟଙ୍କା ପେମେଣ୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଏ। ଏହା ଏକ “ପେମେଣ୍ଟ ପ୍ରୋସେସିଂ ଫି” କିମ୍ବା ଏକ ବ୍ୟାଙ୍କ ଆକାଉଣ୍ଟ ଭେରିଫିକେସନର ଅଂଶ ବୋଲି ଠକମାନେ ଦାବି କରିପାରନ୍ତି। ବିଶ୍ୱାସ ଜନ୍ମାଇବା ପାଇଁ ସେମାନେ ଆକାଉଣ୍ଟରେ ଏକ ସାମାନ୍ୟ ପରିମାଣର ଟଙ୍କା ମଧ୍ୟ ଜମା କରିପାରନ୍ତି। ଶେଷରେ ସେମାନେ ପୀଡ଼ିତ ବ୍ୟକ୍ତିଙ୍କଠାରୁ ନିଜକୁ ଦୂରେଇ ନିଅନ୍ତି ଏବଂ ପୀଡ଼ିତ ବ୍ୟକ୍ତି ଆଉ ସେମାନଙ୍କ ସହିତ ଯୋଗାଯୋଗ କରିପାରନ୍ତି ନାହିଁ। ଏହି ଠକେଇ ବିଷୟରେ ସବୁଠାରୁ ଉଦବେଗଜନକ ବିଷୟ ହେଉଛି ଯେ ଏହି ସ୍କାମଗୁଡ଼ିକ ସାଧାରଣତଃ ସୁପରିକଳ୍ପିତ ଭାବରେ ପ୍ରସ୍ତୁତ କରାହୋଇଥାଏ ଯାହା ସେଗୁଡ଼ିକୁ ବୈଧତାର ଏକ ଆବରଣ ଦେଇଥାଏ। ଚାକିରି ଆଶାୟୀ ବ୍ୟକ୍ତିମାନେ ନକଲି ଚୁକ୍ତିନାମା, ଅଫିସିଆଲ ମନେହେଉଥିବା ଉପାଧି ଏବଂ ବେତନର ପ୍ରତିଶ୍ରୁତି ପାଇପାରନ୍ତି, ମାତ୍ର ସେମାନେ ଟଙ୍କା ପଠାଇବା ପରେ ଜାଣିପାରନ୍ତି ଯେ ସେମାନେ ଆଉ ଠକମାନଙ୍କୁ ଯୋଗାଯୋଗ କରିପାରିବେ ନାହିଁ।
ଯେଉଁ ବିଷୟଗୁଡ଼ିକ ପ୍ରତି ସତର୍କ ରହିବା ଜରୁରୀ
ଏହି ବିଭ୍ରାନ୍ତକାରୀ କୌଶଳଗୁଡ଼ିକରୁ ସୁରକ୍ଷିତ ରହିବା ପାଇଁ ଚାକିରି ଠକେଇର ଲକ୍ଷଣଗୁଡ଼ିକୁ ବୁଝିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସତର୍କ ରହିବା ପାଇଁ ଆବଶ୍ୟକ କିଛି ବିଷୟ ଏଠାରେ ଦିଆଯାଇଛି:
- ଅବାଞ୍ଛିତ ଚାକିରିର ଅଫର: ଯଦି ଆପଣ ଚାକିରି ପାଇଁ ଆବେଦନ କରିନାହାଁନ୍ତି ଏବଂ କେହି ଅପ୍ରତ୍ୟାଶିତ ଭାବରେ ଆପଣଙ୍କ ସହିତ ଯୋଗାଯୋଗ କରୁଛନ୍ତି, ତେବେ ଏହା ଏକ ଠକେଇ ହୋଇପାରେ।
- ଟଙ୍କା ଦେବା ପାଇଁ ଅନୁରୋଧ: ଏକ ବୈଧ କମ୍ପାନୀ କେବେବି କାମ ଆରମ୍ଭ କରିବା ପୂର୍ବରୁ କିମ୍ବା ଆପଣଙ୍କର ଦରମା ପାଇବା ପାଇଁ ଆପଣଙ୍କୁ କୌଣସି ଟଙ୍କା ଦେବାକୁ କହିବ ନାହିଁ। “ଟ୍ରେନିଂ ଫି”, “ବ୍ୟାକଗ୍ରାଉଣ୍ଡ ଚେକ ଫି”, କିମ୍ବା “ବିବିଧ ଫି” ପାଇଁ ଅନୁରୋଧ ପ୍ରତି ବିଶେଷ ସତର୍କ ରୁହନ୍ତୁ।
- ଲୋଭନୀୟ ଅଫର ଯାହା ବିଶ୍ୱାସ କରିବାକୁ କଷ୍ଟସାଧ୍ୟ: ଠକମାନେ ପ୍ରାୟତଃ ଲୋକମାନଙ୍କୁ ଅବାସ୍ତବ ପ୍ରତିଶ୍ରୁତି ଦେଇ ପ୍ରଲୋଭିତ କରନ୍ତି, ଯେପରିକି ଉଚ୍ଚ ବେତନଯୁକ୍ତ ଚାକିରି ଯେଉଁଥିରେ ସର୍ବନିମ୍ନ ପରିଶ୍ରମ କିମ୍ବା ଯୋଗ୍ୟତା ଆବଶ୍ୟକ ହୁଏ।
- ନକଲି ଇମେଲ ଠିକଣା: ସବୁ ସମୟରେ ଇମେଲ ଠିକଣାଗୁଡ଼ିକୁ ଅନ୍ତତଃ ଦୁଇଥର ଭଲ ଭାବରେ ଯାଞ୍ଚ କରନ୍ତୁ। ଅଫିସିଆଲ ଡୋମେନଗୁଡ଼ିକର ସାମାନ୍ୟ ପରିବର୍ତ୍ତନ ପ୍ରତି ସତର୍କ ରୁହନ୍ତୁ — ଯେପରିକି ଅତିରିକ୍ତ ଅକ୍ଷର, ସଂଖ୍ୟା କିମ୍ବା ଅସ୍ୱାଭାବିକ ଡୋମେନ ନାମ ଇତ୍ୟାଦି।
- ତୁରନ୍ତ ନିଷ୍ପତ୍ତି ନେବା ପାଇଁ ଚାପ: ଯଦି ଆପଣଙ୍କୁ ଚିନ୍ତା କରିବା କିମ୍ବା ଅନୁସନ୍ଧାନ କରିବା ପାଇଁ ପର୍ଯ୍ୟାପ୍ତ ସମୟ ନଦେଇ ଶୀଘ୍ର ନିଷ୍ପତ୍ତି ନେବାକୁ କୁହାଯାଏ, ତେବେ ଏହା ଏକ ଠକେଇ ହୋଇପାରେ।
- ଅଣବୃତ୍ତିଗତ ଯୋଗାଯୋଗ: ଠକମାନେ ଭୁଲ ବ୍ୟାକରଣ, ଅସ୍ବାଭାବିକ ଭାଷା କିମ୍ବା ସାଧାରଣୀକୃତ ଭାଷା (ଯେପରିକି ଆପଣଙ୍କ ନାମ ବଦଳରେ “ପ୍ରିୟ ପ୍ରାର୍ଥୀ”) ବ୍ୟବହାର କରିପାରନ୍ତି, ଯାହା ଅଫରଟି ନକଲି ବୋଲି ସୂଚାଇପାରେ।
ନିଜକୁ କିପରି ସୁରକ୍ଷିତ ରଖିବେ
ଚାକିରି ଠକେଇର ଶିକାର ହେବାରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ଏହି ସୂଚନାଗୁଡ଼ିକୁ ଅନୁସରଣ କରନ୍ତୁ:
- କମ୍ପାନୀ ବିଷୟରେ ଅନୁସନ୍ଧାନ କରନ୍ତୁ: ସର୍ବଦା ଅନଲାଇନରେ କମ୍ପାନୀ ବିଷୟରେ ଜାଣିବାକୁ ଉଦ୍ୟମ କରନ୍ତୁ ଏବଂ ସେମାନଙ୍କ ଅଫିସିଆଲ ୱେବସାଇଟକୁ ଯାଞ୍ଚ କରନ୍ତୁ। ଚାକିରି ଅଫରର ବୈଧତାକୁ ସୁନିଶ୍ଚିତ କରିବା ପାଇଁ ଅଫିସିଆଲ ଯୋଗାଯୋଗ ମାଧ୍ୟମ ବ୍ୟବହାର କରି ସିଧାସଳଖ ସେମାନଙ୍କ ସହିତ ଯୋଗାଯୋଗ କରନ୍ତୁ।
- ଚାକିରି ପାଇଁ କେବେବି ଟଙ୍କା ଦିଅନ୍ତୁ ନାହିଁ: ପ୍ରତିଷ୍ଠିତ ନିଯୁକ୍ତିଦାତାମାନେ ନିଯୁକ୍ତି କିମ୍ବା ବେତନର ପ୍ରକ୍ରିୟାକରଣ ପାଇଁ ଟଙ୍କା ମାଗିବେ ନାହିଁ। ଯଦି ଆପଣଙ୍କୁ କେହି ଟଙ୍କା ମାଗନ୍ତି, ତେବେ ଏହା ଏକ ଠକେଇର ସ୍ପଷ୍ଟ ସୂଚନା ଅଟେ।
- ବିଶ୍ଵାସଯୋଗ୍ୟ ପ୍ଲାଟଫର୍ମ ବ୍ୟବହାର କରନ୍ତୁ: ଜଣାଶୁଣା ଚାକିରି ବୋର୍ଡ ଏବଂ କ୍ୟାରିୟର ପ୍ଲାଟଫର୍ମଗୁଡ଼ିକର ବ୍ୟବହାର କରନ୍ତୁ ଯେଉଁଠାରେ କମ୍ପାନୀଗୁଡ଼ିକ ପ୍ରକୃତ ଚାକିରିର ସୁଯୋଗଗୁଡ଼ିକ ସମ୍ବଳିତ ପୋଷ୍ଟ କରନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମରେ ଦିଆଯାଇଥିବା ଅଫରଗୁଡ଼ିକ ପ୍ରତି ସତର୍କ ରୁହନ୍ତୁ, ଯେଉଁଠାରେ ବୈଧତା ଯାଞ୍ଚ କରିବା କଷ୍ଟକର ହୋଇଥାଏ।
- ଇମେଲ ଡୋମେନକୁ ଚେକ କରନ୍ତୁ: ସମ୍ପୂର୍ଣ୍ଣ ଇମେଲ ଠିକଣା ଦେଖନ୍ତୁ ଏବଂ ଏହା କମ୍ପାନୀର ଅଫିସିଆଲ ଡୋମେନରୁ ହିଁ ଆସିଛି ବୋଲି ସୁନିଶ୍ଚିତ କରନ୍ତୁ।
- ଆପଣଙ୍କ ଅନ୍ତର୍ଜ୍ଞାନ ଉପରେ ଭରସା କରନ୍ତୁ: ଯଦି ଚାକିରିର ଅଫର ବିଷୟରେ କିଛି ସମସ୍ୟା ଅନୁଭୂତ ହୁଏ, ତେବେ ସତର୍କତା ଅବଲମ୍ବନ କରିବା ଭଲ। କୌଣସି ବୈଧ ଚାକିରି ଅଫର ପାଇଁ ଆପଣଙ୍କୁ ଆଗୁଆ ଟଙ୍କା ଦେବାକୁ ହେବ ନାହିଁ।
ଉପସଂହାର:
ଚାକିରି ଠକେଇ ବଢ଼ି ଚାଲିଛି ଏବଂ ଠକମାନେ ସେମାନଙ୍କ ଯୋଜନାବଦ୍ଧ କାର୍ଯ୍ୟ ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରୁଛନ୍ତି। ଅଫିସିଆଲ କମ୍ପାନୀ ଡୋମେନକୁ ଅନୁକରଣ କରୁଥିବା ନକଲି ଇମେଲ ଠିକଣାଗୁଡ଼ିକ ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମରେ ନକଲି ଚାକିରିର ବିଜ୍ଞାପନଗୁଡ଼ିକ ଅତ୍ୟନ୍ତ ବିଶ୍ୱାସଯୋଗ୍ୟ ମନେ ହୋଇପାରେ। ଚାକିରି ଆଶାୟୀମାନଙ୍କୁ ସତର୍କ ଏବଂ ସନ୍ଦେହୀ ହେବାକୁ ପଡ଼ିବ, ବିଶେଷକରି ଯେତେବେଳେ ଅଫରଗୁଡ଼ିକ ଏତେ ଭଲ ହୋଇଥାଏ ଯେ ସେଥିରେ ବିଶ୍ୱାସ କରିବା କଷ୍ଟସାଧ୍ୟ ହୋଇପଡେ କିମ୍ବା ଚାକିରି ପୂର୍ବରୁ ସେଥିପାଇଁ ଟଙ୍କା ଦେବାକୁ ପଡ଼େ। ଯେକୌଣସି ଚାକିରି ଅଫରର ବୈଧତା ଯାଞ୍ଚ କରିବା ପାଇଁ ସର୍ବଦା ସମୟ ନିଅନ୍ତୁ ଏବଂ ଏହି ଯୋଜନାଗୁଡ଼ିକର ଶିକାର ନହେବା ପାଇଁ ଆପଣଙ୍କ ଆର୍ଥିକ ସୂଚନାକୁ ସୁରକ୍ଷିତ ରଖନ୍ତୁ। ସଚେତନ ଏବଂ ସତର୍କ ରହି ଆପଣ ଏକ ସୁରକ୍ଷିତ ଚାକିରି ସନ୍ଧାନର ଅନୁଭୂତିକୁ ସୁନିଶ୍ଚିତ କରିପାରିବେ ଏବଂ ଚାକିରି ପାଇଁ ଆପଣଙ୍କ ବ୍ୟଗ୍ରତାର ଫାଇଦା ଉଠାଇବାକୁ ଚାହୁଁଥିବା ଠକମାନଙ୍କଠାରୁ ଦୂରେଇ ରହିପାରିବେ।
ଯଦି ଆପଣ ଚାକିରି ଠକେଇର ଶିକାର ହୁଅନ୍ତି, ତେବେ ଆପଣଙ୍କର କ’ଣ କରିବା ଉଚିତ
ଯଦି ଆପଣ PhonePe ମାଧ୍ୟମରେ ଏକ ଚାକିରି ଠକ ଦ୍ଵାରା ଠକେଇର ଶିକାର ହୋଇଛନ୍ତି, ତେବେ ଆପଣ ତୁରନ୍ତ ନିମ୍ନଲିଖିତ ଉପାୟରେ ଏହି ଘଟଣାଟିର ଅଭିଯୋଗ କରିପାରିବେ:
- PhonePe ଆପ: “ସାହାୟତା” ବିଭାଗକୁ ଯାଆନ୍ତୁ ଏବଂ “ଟ୍ରାଞ୍ଜାକସନରେ ଏକ ସମସ୍ୟା ହୋଇଛି” ବିକଳ୍ପ ଅଧୀନରେ ଏହି ସମସ୍ୟାର ଅଭିଯୋଗ କରନ୍ତୁ।
- PhonePeର ଗ୍ରାହକ ସେବା ନମ୍ବର: PhonePeର ଗ୍ରାହକ ସେବା ନମ୍ବର 80–68727374/022–68727374ରେ କଲ କରି ଆପଣ ସମସ୍ୟା ବିଷୟରେ ଅଭିଯୋଗ କରିପାରିବେ ଯାହା ପରେ ଗ୍ରାହକ ସେବା ଏଜେଣ୍ଟ ଏକ ଟିକେଟ ତିଆରି କରିବେ ଏବଂ ଆପଣଙ୍କ ସମସ୍ୟାର ସମାଧାନ ପାଇଁ ଆପଣଙ୍କୁ ସାହାଯ୍ୟ କରିବେ।
- ୱେବଫର୍ମ ଦାଖଲ: PhonePeର ୱେବଫର୍ମ https://support.phonepe.com/ ବ୍ୟବହାର କରି ଆପଣ ଏକ ଟିକେଟ ମଧ୍ୟ ତିଆରି କରିପାରିବେ।
- ସୋସାଲ ମିଡିଆ: PhonePeର ସୋସାଲ ମିଡିଆ ହ୍ୟାଣ୍ଡେଲଗୁଡ଼ିକ ବ୍ୟବହାର କରି ଆପଣ ଠକେଇ ଘଟଣାର ରିପୋର୍ଟ କରିପାରିବେ।
Twitter — https://twitter.com/PhonePeSupport
Facebook — https://www.facebook.com/OfficialPhonePe
- ଆପତ୍ତି: ପୂର୍ବରୁ ଥିବା ଏକ ଅଭିଯୋଗ ସମ୍ପର୍କରେ ଏକ ଆପତ୍ତି ଜଣାଇବା ପାଇଁ ଆପଣ https://grievance.phonepe.com/ ରେ ଲଗଇନ କରି ପୂର୍ବରୁ ତିଆରି ହୋଇଥିବା ଟିକେଟ ଆଇଡି ସେୟାର କରିପାରିବେ।
- ସାଇବର ସେଲ: ଶେଷରେ, ଆପଣ ନିକଟସ୍ଥ ସାଇବର କ୍ରାଇମ ସେଲରେ ଠକେଇ ଅଭିଯୋଗର ରିପୋର୍ଟ କରିପାରିବେ କିମ୍ବା ଅନଲାଇନରେ https://www.cybercrime.gov.in/ ମାଧ୍ୟମରେ ଅଭିଯୋଗର ପଞ୍ଜିକରଣ କରିପାରିବେ କିମ୍ବା 1930 ନମ୍ବରରେ ସାଇବର କ୍ରାଇମ ସେଲ ହେଲ୍ପଲାଇନକୁ ଯୋଗାଯୋଗ କରିପାରିବେ।
ଗୁରୁତ୍ୱପୂର୍ଣ୍ଣ ରିମାଇଣ୍ଡର — PhonePe କେବେବି ଆପଣଙ୍କ ଗୋପନୀୟ କିମ୍ବା ବ୍ୟକ୍ତିଗତ ବିବରଣୀ ମାଗେ ନାହିଁ। PhonePeରୁ ଆସିଛି ବୋଲି ଦାବି କରୁଥିବା ଅଥଚ phonepe.com ଡୋମେନରୁ ଆସିନଥିବା ସମସ୍ତ ପ୍ରକାରର ମେଲଗୁଡି଼କୁ ଅଣଦେଖା କରନ୍ତୁ। ଯଦି ଆପଣ ଠକେଇର ସନ୍ଦେହ କରୁଛନ୍ତି, ତେବେ ଦୟାକରି ତୁରନ୍ତ ଅଧିକାରୀଙ୍କ ସହିତ ଯୋଗାଯୋଗ କରନ୍ତୁ।