
Trust & Safety
ଫିସିଂ ଆକ୍ରମଣକୁ କିପରି ଚିହ୍ନଟ କରିବେ ଏବଂ ରୋକିବେ
PhonePe Regional|3 min read|21 March, 2025
ଇମେଲ, ମେସେଜ ଏବଂ ଫୋନ କଲ ମାଧ୍ୟମରେ ଭାରତୀୟମାନଙ୍କୁ ଟାର୍ଗେଟ କରି ଫିସିଂ ଆକ୍ରମଣ କ୍ରମଶଃ ନିତିଦିନିଆ ଘଟଣାରେ ପରିଣତ ହେବାରେ ଲାଗିଛି। ମୋବାଇଲ ଡିଭାଇସଗୁଡ଼ିକ ଡିଜିଟାଲ ସେବା ପାଇଁ ଆମର ପ୍ରାଥମିକ ପ୍ରବେଶ ପଥ ହୋଇଥିବାରୁ ଭାରତ ଏହି ବିଭ୍ରାନ୍ତକାରୀ ସ୍କିମଗୁଡ଼ିକର ଏକ ପ୍ରମୁଖ ଲକ୍ଷ୍ୟସ୍ଥଳ ଭାବରେ ଉଭା ହୋଇଛି। ତେଣୁ ଆପଣଙ୍କ ପରିଚୟ ଏବଂ ଆପଣଙ୍କ ଟଙ୍କାକୁ ସୁରକ୍ଷିତ ରଖିବା ପାଇଁ ଏହି ଧରଣର ଠକେଇ କିପରି କାମ କରେ ତାହା ବୁଝିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ।
ଆସନ୍ତୁ ଫିସିଂ ଏବଂ ଏହାର ପ୍ରକାରଭେଦ ସମ୍ପର୍କରେ ସବିସ୍ତାରେ ଜାଣିବା:
ଫିସିଂ କ’ଣ?
ଫିସିଂ ହେଉଛି ଏକ ସୋସିଆଲ ଇଞ୍ଜିନିୟରିଂ ଠକେଇ ଯେଉଁଠାରେ ଠକମାନେ ଲୋକମାନଙ୍କୁ ସମ୍ବେଦନଶୀଳ ବ୍ୟକ୍ତିଗତ ସୂଚନା ପ୍ରକାଶ କରିବାକୁ କିମ୍ବା କ୍ଷତିକାରକ ଲିଙ୍କଗୁଡ଼ିକରେ କ୍ଲିକ କରିବାକୁ ପ୍ରଲୋଭିତ କରନ୍ତି ଯାହା ମାଲୱେର ଡାଉନଲୋଡ କରାଇବାକୁ ସାହାଯ୍ୟ କରିଥାଏ।
ଫିସରମାନେ ସାଧାରଣତଃ ଏପରି ବିଭ୍ରାନ୍ତକାରୀ ଇମେଲ ବ୍ୟବହାର କରନ୍ତି ଯାହା ଆପଣଙ୍କ ବ୍ୟାଙ୍କ, ସୋସିଆଲ ମିଡିଆ ପ୍ଲାଟଫର୍ମ କିମ୍ବା ସରକାରୀ ପ୍ରତିଷ୍ଠାନ ପରି ବୈଧ ସଂସ୍ଥାଗୁଡ଼ିକର ଅନୁକରଣ କରିଥାଏ। ଏହି ମେସେଜଗୁଡ଼ିକ ପ୍ରାୟତଃ ଜରୁରୀକାଳୀନ ପରିସ୍ଥିତିର ଛଳନା କରିଥାନ୍ତି ଯାହା ଏକ ଲିଙ୍କରେ କ୍ଲିକ କରିବା, ଏକ ଆଟାଚମେଣ୍ଟ ଡାଉନଲୋଡ କରିବା କିମ୍ବା ପାସୱାର୍ଡ, ଡେବିଟ/କ୍ରେଡିଟ କାର୍ଡର ନମ୍ବର କିମ୍ବା ଆଧାର ପ୍ରମାଣପତ୍ର ପରି ବ୍ୟକ୍ତିଗତ ବିବରଣୀ ପ୍ରଦାନ କରିବାକୁ ଆପଣଙ୍କ ଉପରେ ଚାପ ପକାଇଥାଏ।
ଫିସିଂ ଇମେଲଗୁଡ଼ିକୁ କିପରି ଚିହ୍ନିବେ
- ସାଧାରଣ ବିଷୟବସ୍ତୁ: ବୈଧ ଇମେଲଗୁଡ଼ିକ ସାଧାରଣତଃ ଆପଣଙ୍କ ନାମ ଧରି ଆପଣଙ୍କୁ ସମ୍ବୋଧିତ କରନ୍ତି; ଯଦି ଏହା ଏକ ବ୍ୟାଙ୍କିଂ ସଂସ୍ଥାରୁ ଆସିଥାଏ, ତେବେ ତାହା ଆପଣଙ୍କ ବିବରଣୀ ଯଥା- କାର୍ଡ ନମ୍ବର କିମ୍ବା ଆକାଉଣ୍ଟ ନମ୍ବର ଉଲ୍ଲେଖ କରେ କିମ୍ବା ଯଦି ଏହା ଏକ ଇ-କମର୍ସ ବ୍ରାଣ୍ଡ ହୋଇଥାଏ, ତେବେ ତାହା ଅର୍ଡର ନମ୍ବର ଉଲ୍ଲେଖ କରିଥାଏ। ଫିସିଂ ଇମେଲଗୁଡ଼ିକରେ ସାଧାରଣ ବିଷୟବସ୍ତୁ ରହିଥାଏ ଏବଂ କେବଳ ଏକ ଲିଙ୍କ ଉପରେ କ୍ଲିକ କରିବାକୁ ଆପଣଙ୍କୁ ଅନୁରୋଧ କରାଯାଇଥାଏ।
- ସନ୍ଦେହଜନକ ପ୍ରେରକ ଠିକଣା: ଇମେଲ ଠିକଣାକୁ ଭଲଭାବରେ ଯାଞ୍ଚ କରନ୍ତୁ। ଏଥିରେ ଭୁଲ ବନାନ କିମ୍ବା ଅସ୍ୱାଭାବିକ ଅକ୍ଷର ଥାଇପାରେ।
- ଜରୁରୀ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ: “ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ” କିମ୍ବା “ଆପଣଙ୍କ ଆକାଉଣ୍ଟକୁ ସସପେଣ୍ଡ କରାଯିବ” ଭଳି ବାକ୍ୟାଂଶଗୁଡ଼ିକ ବିପଦପୂର୍ଣ୍ଣ ଅଟେ।
- ବ୍ୟକ୍ତିଗତ ତଥ୍ୟ ପ୍ରଦାନ ପାଇଁ ଅନୁରୋଧ: ବୈଧ ସଂସ୍ଥାଗୁଡ଼ିକ ଇମେଲ ମାଧ୍ୟମରେ ସମ୍ବେଦନଶୀଳ ସୂଚନା ମାଗିବା ଅତ୍ୟନ୍ତ ବିରଳ ଅଟେ।
- ବ୍ୟାକରଣ ଏବଂ ବନାନଗତ ତ୍ରୁଟି: ଫିସିଂ ଇମେଲଗୁଡ଼ିକରେ ପ୍ରାୟତଃ ବନାନ ଏବଂ ବ୍ୟାକରଣଗତ ତ୍ରୁଟି ରହିଥାଏ।
ଫିସିଂକୁ କିପରି ଏଡାଇ ହେବ
- ଅପ୍ରତ୍ୟାଶିତ ଇମେଲଗୁଡ଼ିକ ପ୍ରତି ସତର୍କ ରୁହନ୍ତୁ: ଏହା ଏକ ବିଶ୍ୱସ୍ତ ଉତ୍ସରୁ ଆସିଛି ବୋଲି ମନେହେଉଥିଲେ ମଧ୍ୟ ଏଥିପ୍ରତି ସତର୍କ ରୁହନ୍ତୁ ଏବଂ ମେସେଜକୁ ଭଲଭାବରେ ପଢ଼ି ଓ ପ୍ରେରକଙ୍କୁ ଯାଞ୍ଚ ନକରି ଲିଙ୍କଗୁଡ଼ିକ ଉପରେ କ୍ଲିକ କରିବାକୁ ତରବର ହୁଅନ୍ତୁ ନାହିଁ।
- ସନ୍ଦିଗ୍ଧ ଇମେଲରେ ଥିବା ଲିଙ୍କଗୁଡ଼ିକରେ କେବେବି କ୍ଲିକ କରନ୍ତୁ ନାହିଁ: ଏହା ବଦଳରେ ଆପଣଙ୍କ ବ୍ରାଉଜରରେ ସିଧାସଳଖ ୱେବସାଇଟର ଠିକଣାକୁ ଟାଇପ କରନ୍ତୁ।
- ପ୍ରେରକଙ୍କ ପରିଚୟ ଯାଞ୍ଚ କରନ୍ତୁ: ଇମେଲର ବୈଧତାକୁ ସୁନିଶ୍ଚିତ କରିବା ପାଇଁ ଏକ ଜଣାଶୁଣା ଫୋନ ନମ୍ବର କିମ୍ବା ୱେବସାଇଟ ମାଧ୍ୟମରେ ସିଧାସଳଖ ଉକ୍ତ ସଂସ୍ଥା ସହିତ ଯୋଗାଯୋଗ କରନ୍ତୁ।
- ଆପଣଙ୍କର ସଫ୍ଟୱେରକୁ ଅପଡେଟ କରି ରଖନ୍ତୁ: ଆଣ୍ଟିଭାଇରସ ସଫ୍ଟୱେର ଏବଂ ୱେବ ବ୍ରାଉଜରଗୁଡ଼ିକ ଫିସିଂର ପ୍ରୟାସକୁ ଚିହ୍ନଟ କରିବାରେ ସାହାଯ୍ୟ କରିପାରିବେ।

ସ୍ମିସିଂ କ’ଣ?
ସ୍ମିସିଂ (SMS ଫିସିଂ) ହେଉଛି ଏକ ପ୍ରକାରର ଠକେଇ ଯେଉଁଥିରେ ଠକମାନେ ଟେକ୍ସଟ ମେସେଜ ବ୍ୟବହାର କରି ପୀଡ଼ିତମାନଙ୍କୁ କ୍ଷତିକାରକ ଲିଙ୍କରେ କ୍ଲିକ କରିବା କିମ୍ବା ବ୍ୟକ୍ତିଗତ ତଥ୍ୟ ପ୍ରଦାନ କରିବାକୁ ପ୍ରତାରିତ କରନ୍ତି। ସେମାନେ ଡେଲିଭରି ସେବା, ବ୍ୟାଙ୍କର ନକଲ କରିପାରନ୍ତି କିମ୍ବା ଆପଣ ପୁରସ୍କାର ଜିତିଛନ୍ତି ବୋଲି ମଧ୍ୟ ଦାବି କରିପାରନ୍ତି।
ସ୍ମିସିଂ ଠକେଇକୁ କିପରି ଚିହ୍ନଟ କରିବେ
- ନକଲି ପ୍ୟାକେଜ ଡେଲିଭରି ନୋଟିଫିକେସନ: “ଆପଣଙ୍କର ପ୍ୟାକେଜ ଶୀଘ୍ର ଆସୁଛି। ଆପଣଙ୍କର ଠିକଣାକୁ କନଫର୍ମ କରିବାକୁ ଏଠାରେ କ୍ଲିକ କରନ୍ତୁ।”
- OTP ଏବଂ ବ୍ୟକ୍ତିଗତ ତଥ୍ୟ ଦେବାକୁ ଅନୁରୋଧ: ଠକମାନେ ଆକାଉଣ୍ଟ ଯାଞ୍ଚର ବାହାନାରେ ଲୋକମାନଙ୍କୁ OTP କିମ୍ବା ବ୍ୟକ୍ତିଗତ ବିବରଣୀ ସେୟାର କରିବାକୁ ପ୍ରତାରିତ କରନ୍ତି।
- ନକଲି ପ୍ରତିଯୋଗିତା କିମ୍ବା ପୁରସ୍କାର ଜିତିବା: “ଅଭିନନ୍ଦନ! ଆପଣ ଏକ ମାଗଣା ଉପହାର ଜିତିଛନ୍ତି। ବର୍ତ୍ତମାନ ଏହାକୁ କ୍ଲେମ କରନ୍ତୁ!”
ସ୍ମିସିଂ ଠକେଇକୁ କିପରି ଏଡାଇ ହେବ
- ସନ୍ଦେହଜନକ ମେସେଜରେ ଥିବା ଲିଙ୍କଗୁଡ଼ିକ ଉପରେ କ୍ଲିକ କରନ୍ତୁ ନାହିଁ: ଫୋନ ନମ୍ବରଟି ପରିଚିତ ମନେହେଉଥିଲେ ମଧ୍ୟ SMS ପ୍ରତି ସତର୍କ ରୁହନ୍ତୁ।
- କେବେବି ବ୍ୟକ୍ତିଗତ ତଥ୍ୟ ସମ୍ବଳିତ ଉତ୍ତର ଦିଅନ୍ତୁ ନାହିଁ: ବୈଧ ସଂସ୍ଥାଗୁଡ଼ିକ ମେସେଜ ମାଧ୍ୟମରେ ସମ୍ବେଦନଶୀଳ ତଥ୍ୟ ମାଗିବେ ନାହିଁ।
- ସନ୍ଦେହଜନକ ନମ୍ବରଗୁଡ଼ିକୁ ବ୍ଲକ କରନ୍ତୁ: ଏହା ଆପଣଙ୍କ ପାଖକୁ ଆସୁଥିବା ସ୍ମିସିଂ ପ୍ରୟାସର ସଂଖ୍ୟାକୁ ହ୍ରାସ କରିବାରେ ସାହାଯ୍ୟ କରିପାରିବ।
ଭିସିଂ କ’ଣ?
ଭିସିଂ (ଭଏସ ଫିସିଂ) ହେଉଛି ଏକ ପ୍ରକାରର ଠକେଇ ଯେଉଁଥିରେ ଅପରାଧୀମାନେ ଫୋନ କଲ ଦ୍ଵାରା ଲୋକମାନଙ୍କୁ ଗୁପ୍ତ ତଥ୍ୟ ପ୍ରକାଶ କରିବାକୁ ପ୍ରତାରିତ କରନ୍ତି। ଭିସରମାନେ ପ୍ରାୟତଃ ବୈଷୟିକ ସହାୟତା, ସରକାରୀ ସଂସ୍ଥା କିମ୍ବା ସଙ୍କଟରେ ପଡ଼ିଥିବା ପରିବାରର କୌଣସି ସଦସ୍ୟଙ୍କ ନକଲ କରନ୍ତି। ସେମାନେ ଆପଣଙ୍କୁ ବ୍ୟକ୍ତିଗତ ତଥ୍ୟ କିମ୍ବା ଆର୍ଥିକ ବିବରଣୀ ପ୍ରଦାନ କରିବାକୁ ପ୍ରତାରିତ କରିବା ପାଇଁ ସୋସାଲ ଇଞ୍ଜିନିୟରିଂର କୌଶଳ ବ୍ୟବହାର କରନ୍ତି।
ଭିସିଂ ଠକେଇକୁ କିପରି ଚିହ୍ନଟ କରିବେ
- କଲର ଆଇଡି ସ୍ପୁଫିଂ: ଠକମାନେ ଏପରି କଲ କରନ୍ତି ଯେପରି ସେଗୁଡ଼ିକ ବୈଧ ଉତ୍ସରୁ ଆସିଥିବା ପରି ମନେହେବ।
- ଇମୋସନାଲ ମାନିପୁଲେସନ: ସେମାନେ ଜରୁରୀକାଳୀନ ପରିସ୍ଥିତିର ବାହାନା କରିଥାନ୍ତି, ଯେପରିକି ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ହ୍ୟାକ ହୋଇଛି କିମ୍ବା ଆପଣଙ୍କୁ କୌଣସି ଟିକସ ଦେବାକୁ ପଡ଼ିବ ବୋଲି ଦାବି କରିବା।
- ସୋସିଆଲ ଇଞ୍ଜିନିୟରିଂ: ଆପଣଙ୍କ ପରିଚୟ ଯାଞ୍ଚ କରିବା ବାହାନାରେ ସେମାନେ ପାସୱାର୍ଡ, ପିନ କିମ୍ବା OTP ସମେତ ବିଭିନ୍ନ ସମ୍ବେଦନଶୀଳ ବିବରଣୀ ମାଗନ୍ତି।
ଭିସିଂ ଠକେଇକୁ କିପରି ଏଡ଼ାଇ ହେବ
- କଲ କରୁଥିବା ବ୍ୟକ୍ତି ନିଜକୁ ବ୍ୟାଙ୍କର ପ୍ରତିନିଧି ବୋଲି ଦାବି କଲେ ମଧ୍ୟ କେବେବି ଫୋନରେ ବ୍ୟାଙ୍କ ବିବରଣୀ କିମ୍ବା OTP ଦିଅନ୍ତୁ ନାହିଁ।
- ଆର୍ଥିକ କିମ୍ବା ବ୍ୟକ୍ତିଗତ ତଥ୍ୟ ମାଗୁଥିବା ଅନାବଶ୍ୟକ କଲଗୁଡ଼ିକ ପ୍ରତି ସତର୍କ ରୁହନ୍ତୁ।
- ଯଦି ସନ୍ଦେହ ହୁଏ, ତେବେ ଫୋନ କାଟି ଦିଅନ୍ତୁ ଏବଂ ସଂସ୍ଥାର ଅଫିସିଆଲ ଗ୍ରାହକ ସେବା ନମ୍ବରରେ କଲ କରନ୍ତୁ।
ସାଧାରଣ କୌଶଳ: ହେରଫେର
ଫିସିଂ, ସ୍ମିସିଂ ଏବଂ ଭିସିଂର ପଦ୍ଧତିଗୁଡ଼ିକ ଅଲଗା ହୋଇଥିଲେ ମଧ୍ୟ ସେଗୁଡ଼ିକ ମୂଳତଃ ହେରଫେର ଉପରେ ନିର୍ଭର କରନ୍ତି। ଆମର ବିଶ୍ୱାସ, ଭୟ କିମ୍ବା କୌତୁହଳକୁ ବ୍ୟବହାର କରି ସେଗୁଡ଼ିକ ଆମର ସ୍ୱାର୍ଥ ବିରୁଦ୍ଧରେ କାର୍ଯ୍ୟ କରିବାକୁ ଆମକୁ ବିଭ୍ରାନ୍ତ କରିଥାନ୍ତି। ଏହି ଠକେଇଗୁଡ଼ିକ କିପରି କାମ କରେ ତାହା ବୁଝିବା ସହିତ ସୁରକ୍ଷିତ ଅନଲାଇନ କାର୍ଯ୍ୟପ୍ରଣାଳୀକୁ ଅନୁଶୀଳନ କରି ଆପଣ ଏଗୁଡ଼ିକ ଦ୍ଵାରା ଶିକାର ହେବାର ବିପଦକୁ ଯଥେଷ୍ଟ କମ କରିପାରିବେ। ଅବଗତ ରୁହନ୍ତୁ, ସତର୍କ ରୁହନ୍ତୁ ଏବଂ ଫିସିଂ ଠକେଇର ଶିକାର ହୁଅନ୍ତୁ ନାହିଁ!
ଫିସିଂ, ଭିସିଂ ଏବଂ ସ୍ମିସିଂ ଘଟଣାଗୁଡ଼ିକର କିପରି ରିପୋର୍ଟ କରିବେ
ଯଦି ଆପଣଙ୍କୁ ସନ୍ଦେହ ହେଉଛି ଯେ ଆପଣ କୌଣସି ଠକେଇର ଶିକାର ହୋଇଛନ୍ତି, ତେବେ ତୁରନ୍ତ ରିପୋର୍ଟ କରନ୍ତୁ:
PhonePeରେ ରିପୋର୍ଟିଂ କରିବା
- PhonePe ଆପ: ସହାୟତା ବିଭାଗକୁ ଯାଆନ୍ତୁ ଏବଂ ଅଭିଯୋଗ କରନ୍ତୁ।
- PhonePe କଷ୍ଟମର କେୟାର: 80-68727374 / 022-68727374ରେ କଲ କରନ୍ତୁ।
- ୱେବଫର୍ମ ଦାଖଲ: PhonePe ସପୋର୍ଟକୁ ଭିଜିଟ କରନ୍ତୁ।
- ସୋସିଆଲ ମିଡିଆ ରିପୋର୍ଟିଂ:
- Twitter: PhonePe ସପୋର୍ଟ
- Facebook: PhonePe ଅଫିସିଆଲ
- ଆପତ୍ତିର ସମାଧାନ: PhonePe ଅଭିଯୋଗ ପୋର୍ଟାଲରେ ଅଭିଯୋଗ ଦାଖଲ କରନ୍ତୁ।
କର୍ତ୍ତୃପକ୍ଷଙ୍କ ପାଖରେ ରିପୋର୍ଟ କରିବା
- ସାଇବର କ୍ରାଇମ ସେଲ: ସାଇବର କ୍ରାଇମ ପୋର୍ଟାଲରେ ଅନଲାଇନରେ ଅଭିଯୋଗ ଦାଖଲ କରନ୍ତୁ କିମ୍ବା 1930ରେ କଲ କରନ୍ତୁ।
- ଦୂରସଞ୍ଚାର ବିଭାଗ (DOT): ସଞ୍ଚାର ସାଥି ପୋର୍ଟାଲରେ ଚକ୍ଷୁ ଫେସିଲିଟି ମାଧ୍ୟମରେ ସନ୍ଦେହଜନକ ମେସେଜ, କଲ କିମ୍ବା ହ୍ୱାଟସଆପ ଠକେଇର ରିପୋର୍ଟ କରନ୍ତୁ।
ଗୁରୁତ୍ୱପୂର୍ଣ୍ଣ ରିମାଇଣ୍ଡର — PhonePe କେବେବି ଆପଣଙ୍କ ଗୋପନୀୟ କିମ୍ବା ବ୍ୟକ୍ତିଗତ ବିବରଣୀ ମାଗେ ନାହିଁ। PhonePeରୁ ଆସିଛି ବୋଲି ଦାବି କରୁଥିବା ଅଥଚ phonepe.com ଡୋମେନରୁ ଆସିନଥିବା ସମସ୍ତ ପ୍ରକାରର ମେଲଗୁଡି଼କୁ ଅଣଦେଖା କରନ୍ତୁ। ଯଦି ଆପଣ ଠକେଇର ସନ୍ଦେହ କରୁଛନ୍ତି, ତେବେ ଦୟାକରି ତୁରନ୍ତ ଅଧିକାରୀଙ୍କ ସହିତ ଯୋଗାଯୋଗ କରନ୍ତୁ।